SUSHRUTI-The Auditory Versions of Creations by Manoj Das

ଦେବତାର ଶ୍ରମ || Debatara Shrama


Listen Later

x.......x

ନାଲନ୍ଦା ଦର୍ଶନର ଦୁଇ ବର୍ଷ ପୂର୍ବରୁ ଏକ ଶୀତ ସନ୍ଧ୍ୟାରେ ଚୀନ୍‌ରେ ଅବସ୍ଥିତ ହୁଏନ୍‌ସାଂଙ୍କ ସୁରକ୍ଷିତ, ସୁପରିଚାଳିତ ସମାଧି ମନ୍ଦିର ଆଗରେ ଠିଆହୋଇ ସେ ଅନନ୍ୟ ପରିବ୍ରାଜକକଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିଲି । ମାର୍କୋପୋଲାଙ୍କ ସ୍ମୃତିଚାରଣ କଥା ଛାଡ଼ିଦେଲେ ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ ଭଳି ଇତିହାସ ଦୃଷ୍ଟିରୁ ଶିକ୍ଷାପ୍ରଦ ଏବଂ ବର୍ଣ୍ଣନା ଦୃଷ୍ଟିରୁ ଚିତ୍ତାକର୍ଷକ ବିଗତ ଯୁଗର ଅନ୍ୟ କୌଣସି ଭ୍ରମଣ ବୃତ୍ତାନ୍ତର ପରିଚୟ ମୋତେ ଜଣା ନାହିଁ । ସ୍ତିମିତ ଆଲୋକରେ ଦେଖୁଥିଲି ତାଙ୍କ ପ୍ରତିମୂର୍ତ୍ତି ସହିତ ସଂରକ୍ଷିତ ଭାରତୀୟ ବୌଦ୍ଧ ସାହିତ୍ୟ ରାଶି । ମୃଦୁମୃଦୁ ବର୍ଷା ହେଉଥିଲା । ପାଗୋଡ଼ା ଆରୋହଣ କରିପାରିଲି ନାହିଁ । ତାଙ୍କ ଗମ୍ଭୀର - ଦର୍ଶନ ମୂର୍ତ୍ତିକୁ ସଶ୍ରଦ୍ଧ ନମସ୍କାର ଜଣାଇଥିଲି ।

ଷଷ୍ଠ ଶତାବ୍ଦୀ ବେଳକୁ ସମ୍ଭବ ହୋଇଥିଲା ବୌଦ୍ଧ ଧର୍ମର ବ୍ୟାପକ ପ୍ରସାର । ଚୀନ୍‌ରେ ବୌଦ୍ଧ ସାହିତ୍ୟର ଅଭାବ ନଥିଲା, ତାହା ସୁଲଭ ନ ହେଲେ ମଧ୍ୟ । ଅନେକ ବୌଦ୍ଧଧର୍ମାବଲମ୍ବୀ ମଧ୍ୟ ଥିଲେ । କିନ୍ତୁ ଆବାଲ୍ୟ ହୁଏନ୍‌ସାଂଙ୍କ ମନରେ ଏକ ଧାରଣା ବଦ୍ଧମୂଳ ହୋଇଥିଲା ଯେ ତାଙ୍କ ଦେଶର ସାହିତ୍ୟରେ ବା ବତ୍କୃତାରେ ବୌଦ୍ଧଦର୍ଶନର ଠିକ୍ ବ୍ୟାଖ୍ୟା ମିଳୁ ନାହିଁ । ବୌଦ୍ଧଧର୍ମର ଉତ୍ସ ଭାରତବର୍ଷକୁ ଆସି କୌଣସି ପ୍ରାମାଣ୍ୟ ଗୁରୁ କିମ୍ବା ସ୍ୱନାମଧନ୍ୟ ପ୍ରତିଷ୍ଠାନରେ ଶିକ୍ଷାଲାଭ ନକଲେ ଜୀବନର ଲକ୍ଷ୍ୟ ବ୍ୟର୍ଥ ହେବ ।

ସେତେବେଳେ ଚୀନ୍‌ର କୌଣସି ନାଗରିକ ସମ୍ରାଟଙ୍କ ବିନାନୁମତିରେ ବିଦେଶ ଯିବା ଥିଲା ନିଷିଦ୍ଧ । ହୁଏନ୍‌ସାଂ ଯଥାବିଧ ଆବେଦନ କଲେ; କିନ୍ତୁ ତାହା ଅଗ୍ରାହ୍ୟ ହେଲା । ସେ ନେଲେ ଲୁଚିଛପି ସୀମାନ୍ତ ଅତିକ୍ରମ କରିବାର ସିଦ୍ଧାନ୍ତ । ଅରଣ୍ୟ ଏବଂ ପର୍ବତସଙ୍କୁଳ ସୀମାନ୍ତ ମୁଲକ ବ୍ୟାପୀ କିଛି କିଛି ବ୍ୟବଧାନରେ ତଥା ପ୍ରତ୍ୟେକ ଯାତାୟତ ଘାଟିରେ ରହିଥିଲା ପ୍ରହରୀ ଶିବିର । ସେମାନଙ୍କ ତୀବ୍ର ଦୃଷ୍ଟି ଏଡ଼ାଇ ନିଶ୍ରାନ୍ତ ହେବା ଜୀବନକୁ ପାଣି ଛଡ଼ାଇ ଅଗ୍ରସର ହେଉଥିବା ଯାତ୍ରୀ ପକ୍ଷରେ ହିଁ ସମ୍ଭବ । ତରୁଣ ହୁଏନ୍‌ସାଂ ତାହାହିଁ କରିଥିଲେ । ଦିନେ ଗୋଟିଏ ପ୍ରହରୀ ଶିବିରଠୁଁ ଆତ୍ମଗୋପନ କରି ବିଳଟିଏ ଭିତରେ ବସି ରହିଥିଲେ ସକାଳରୁ ମଧ୍ୟରାତ୍ର ପର୍ଯ୍ୟନ୍ତ । ଶୋଷରେ ଛାତି ଫାଟିଯିବାପ୍ରାୟ ଅବସ୍ଥା । ବିଳରୁ ବାହାରି କ୍ଷୀଣ ଜହ୍ନ ଆଲୁଅରେ ସେ ଠାବକଲେ ଗୋଟିଏ ଝରଣା । ବସିପଡ଼ି ମୁନ୍ଦିଏ ପାଣି ପିଇଛନ୍ତି, ତାଙ୍କୁ ପ୍ରାୟ ଛୁଇଁଦେଇ ଛୁଟିଗଲା ତିନିଚାରି ଗୋଟି ସୁତୀକ୍ଷ୍ମ ତୀର । “ଧୈର୍ଯ୍ୟ ଧର । ମୁଁ ଜଣେ ବୌଦ୍ଧ ପରିବ୍ରାଜକ !” ସେ ପାଟି କରି କହିଲେ । ଭାଗ୍ୟକୁ ସେ ଶିବିରର ଅଧ୍ୟକ୍ଷ ଥିଲେ ଜଣେ ବୌଦ୍ଧଧର୍ମୀ । ଯାତ୍ରୀ ତେଣୁ ରକ୍ଷା ପାଇଗଲେ ।

ଥରେ ଏକାଦିକ୍ରମେ ଚାରିଦିନ ସେ ପିଇବାକୁ ମୁନ୍ଦିଏ ପାଣି ପାଇଲେ ନାହିଁ । ତାଙ୍କର ଏକମାତ୍ର ସାଥୀ ଘୋଡ଼ାଟି ମଧ୍ୟ ମୃତପ୍ରାୟ । ଅର୍ଦ୍ଧନିଦ୍ରା ଅର୍ବମୂର୍ଚ୍ଛା ଅବସ୍ଥାରେ ସେ ଶୁଣିଲେ ଏକ ବଳିଷ୍ଠ କଣ୍ଠସ୍ବର: “ସତ୍ୟର ସନ୍ଧାନୀ ଏମିତି ହତାଶ ହେଲେ ଚଳିବ ?”

ସେ ଉଠି ବସିଲେ । କାହୁଁ ଆସି ଦମକାଏ ଶୀତଳ ପବନ ତାଙ୍କୁ ତଥା ତାଙ୍କ ଘୋଡ଼ାକୁ ସତେଯେପରି ଜୀବନ୍ୟାସ ଦେଲା । ସେ ଘୋଡ଼ା ଉପରେ ବସିବାମାତ୍ରେ ସେ ଜୀବଟି ତାଙ୍କ ନିର୍ଦ୍ଦେଶ ନମାନି କୌଣସି ଏକ ଦିଗରେ ହେଲା ଧାବମାନ । ସେ ପହଞ୍ଚିଲେ ଏକ ମରୁଉଦ୍ୟାନରେ । ତହିଁ ମିଳିଲା ସୁଶୀତଳ ପାଣି; ସ୍ଵାଦିଷ୍ଟ ଫଳମୂଳ ।

କିଛିଦିନ ପରେ ସେ ଆସି ପହଞ୍ଚିଲେ ତୁଫାନ୍ ରାଜ୍ୟରେ । କେମିତି କେଜାଣି ସମବତଃ ଉପରୋକ୍ତ ବୌଦ୍ଧ ପ୍ରହରୀର ସୌଜନ୍ୟରୁ ତୁରଫାନ୍‌ର ଚୀନ ଦେଶୀୟ ରାଜା ଜଣେ ଜ୍ଞାନୀ ପରିବ୍ରାଜକ ଭାରତ ଅଭିମୁଖେ ଅଗ୍ରସର ହେଉଥିବାର ସମ୍ବାଦ ପାଇ ପ୍ରବଳ ଉତ୍ସାହରେ ତାଙ୍କୁ ସଙ୍ଖାଳିବାକୁ ଛକି ରହିଥିଲେ । ତାଙ୍କୁ ନିଯୁକ୍ତ ଗୁପ୍ତଚରମାନେ ତାଙ୍କୁ ଦିନକର ସନ୍ଧ୍ୟାରେ ଦେଖି ପକାଇ ତତ୍‌କ୍ଷଣାତ୍ ରାଜନବର ଅଭିମୁଖେ ଗତିପଥ ବଦଳାଇବାକୁ ବାଧ୍ୟକଲେ । ମଧ୍ୟରାତ୍ରରେ ସେ ପହଞ୍ଚିଲେ ନବରରେ । ପାତ୍ରମିତ୍ର ସମଭିବ୍ୟାହାରେ ରାଜା ତାଙ୍କୁ ଅଭ୍ୟର୍ଥନା ଜଣାଇଲେ । ପରିବ୍ରାଜକ କ୍ଲାନ୍ତ । କିନ୍ତୁ ରାଜାଙ୍କ ବିବେଚନାରେ ଅତିଥିଙ୍କ କ୍ଲାନ୍ତି ଅଥବା ବିଶ୍ରାମର ପ୍ରୟୋଜନ ତୁଳନାରେ ତାଙ୍କ ନିଜର ଭକ୍ତିର ଉଚ୍ଛାସ ନିଶ୍ଚୟ ଅଧିକ ଗୁରୁତ୍ବପୂର୍ଣ୍ଣ ! ପରେ ପରେ ପହଞ୍ଚିଲେ ଦାସୀପରିବୃତା ରାଣୀ । ଭୋର୍ ହେଲାଣି । ଅଭ୍ୟର୍ଥନାର ସମାପ୍ତି ଅଛି - ପରିବ୍ରାଜକ ସେ ସମ୍ଭାବନା ନ ଦେଖି ମିନତିପୂର୍ଣ୍ଣ କଣ୍ଠରେ କହିଲେ, “ହେ ମହାମହିମ ରାଜା ରାଣୀ ! ଆପଣମାନେ ବିଶ୍ରାମ କରନ୍ତୁ ।”

“ବିଶ୍ରାମ ? ଆପଣଙ୍କୁ ପାଇବା ହିଁ ବିଶ୍ରାମ ! ଜ୍ଞାନ ଦିଅନ୍ତୁ ।” ରାଜା ଦେଲେ ଭତ୍ତର ୤ ସଭାସଦ୍‌ମାନେ ରାଜାଙ୍କ ତଡ଼ିତ୍‌ବୁଦ୍ଧିରେ ଚମତ୍କୃତ ହୋଇ ତାଙ୍କୁ ବାହାବା ଦେଲେ । ଅଗତ୍ୟା ପରିବ୍ରାଜବ ଆହୁରି ନମ୍ର ଭାବରେ କହିଲେ, “ଏ ପଥିକର ମଧ୍ୟ ଲୋଡ଼ା କିଞ୍ଚିତ୍ ବିଶ୍ରାମ । ନହେଲେ ସେ ନିଜେ ଅଜ୍ଞାନ ହୋଇଯିବ ।”

x......x

ହୁଏନ୍‌ସାଂଙ୍କ ସ୍ମତିକଥାର ଗୋଟିଏ ଅନୁଦିତ ସଂସ୍କରଣରେ ରହିଛି ଛୋଟ କିନ୍ତୁ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ଏକ ଘଟଣାର ଉଲ୍ଲେଖ । ବୁଦ୍ଧଙ୍କ ଅନୁରାଗୀ ଗୋଷ୍ଠୀରେ ଥିଲେ ଜଣେ ଧୀମାନ୍ ଯୁବକ । କ୍ରମେ ସେ ବୁଦ୍ଧଙ୍କ ବାଣୀରେ ଅଧିକରୁ ଅଧିକ ଅନୁପ୍ରାଣିତ ହୋଇ ଭିକ୍ଷୁତ୍ବ ବରଣ କଲେ । ବୁଦ୍ଧ ଦେଖି ପାରିଲେ, ଯୁବକଟି ଭିତରେ ସେହି ଜନ୍ମରେ ହିଁ ଏବଂ ଅଳ୍ପ ସାଧନାରେ ନିର୍ବାଣ ପ୍ରାପ୍ତିର ସମ୍ଭାବନା ଉଜ୍ଜ୍ବଳ ୤

x.......x

-“ଦେବତାର ଶ୍ରମ”- ଶ୍ରୀ ମନୋଜ ଦାସ- “ଅଜଣାର ଅନ୍ବେଷଣେ”

...more
View all episodesView all episodes
Download on the App Store

SUSHRUTI-The Auditory Versions of Creations by Manoj DasBy World of Manoj Das