SUSHRUTI-The Auditory Versions of Creations by Manoj Das

ନିର୍ବାଣ ଅନିର୍ବାଣ || Nirbana Anirbana


Listen Later

x.....x

ଗୌତମ ବୁଦ୍ଧଙ୍କ ଘନ ଘନ ଆଗମନର କିଛି ପୂର୍ବରୁ ମହାବୀର ଜୀନ ମଧ୍ୟ ରାଜଗୃହରେ ବିତାଉଥିଲେ ବର୍ଷା କାଳ ୤ ଚଉଦଟି ବର୍ଷା ଋତୁ ସେ ଅତିବାହିତ କରିଛନ୍ତି ଏଠି । ଅପେକ୍ଷାକୃତ ଭଳି ଏକ ପ୍ରଶସ୍ତ ସ୍ଥାନରେ କାମନାବାସନାର ଅସାରତା, ଗତାନୁଗତିକ ଜୀବନରୁ ତୃପ୍ତି ଲାଭର ଯେଉଁ ଆଶା, ତା’ର ଅଳୀକତା ଉପରେ ପ୍ରବଚନ ଦେଉଥାନ୍ତି ମହାବୀର । ଉପତ୍ୟକାର ଜନବସତି ଭିତରେ ଏକା ସମୟରେ ଅନୁଷ୍ଠିତ ହେଉଥାଏ ରାଜଗୃହର ପାରମ୍ପରିକ ବାର୍ଷିକ ପର୍ବତ-ଉତ୍ସବ । ସେ ଉତ୍ସବର ବିଶେଷ ଆକର୍ଷଣ ଥିଲା ଯୁବତୀମାନଙ୍କର ଉଦ୍ଦାମ ନୃତ୍ୟ । ଏକଦା ସାରୀପୁତ୍ତ ଏବଂ ତାଙ୍କ ବନ୍ଧୁ ମୋଗଲ୍ଲନ ଅର୍ଦ୍ଧରାତ୍ର ଯାଏ ତାହା ଉପଭୋଗ କରୁଥିଲେ । ହଠାତ୍ ସାରୀପୁତ୍ତ ଉଠିପଡ଼ି ମୋଗଲ୍ଲନଙ୍କ ବାହୁଝିଙ୍କି ତାଙ୍କୁ ସମାବେଶ ବାହାରକୁ ନେଇଆସିଲେ ।

ଏ ବୃତ୍ତାନ୍ତ ପଢ଼ିଥିଲି । ଆଜି ଟିକିଏ କ୍ଲାନ୍ତି ବଶତଃ ଆଖି ବୁଜି ଆସନ୍ତେ ସତେ ଅବା ଶୁଣୁଥିଲି ସେ ଦୁହିଁଙ୍କ ସଂଳାପ:

“କ'ଣ ହେଲା, ସାରୀପୁତ୍ତ ?” ପ୍ରଶ୍ନ କଲେ ମୋଗଲ୍ଲନ ୤

“କେତେ କାଳ ଚାଲିବ ଏ ନୃତ୍ୟ ଗୀତ ?” ପ୍ରତି-ପ୍ରଶ୍ନ କଲେ ସାରୀପୁତ୍ତ ।

“ହୁଏତ ରାତ୍ରବ୍ୟାପୀ- ଅଥବା ନର୍ତ୍ତକୀମାନେ କ୍ଲାନ୍ତ ହେବା ଯାଏ ।” ଉତ୍ତର ଦେଲେ ମୋଗଲ୍ଲନ ।

“ତା'ପରେ ?”

“ପୁଣି ସେମାନେ ନାଚିବେ ଆଗାମୀ ବର୍ଷ ।“

“ଅବିକଳ ?”

ଟିକିଏ ରହି ଯାଇ ମୋଗଲ୍ଲନ କହିଲେ, “ଅବିକଳ କିଛିର ହିଁ ପୁନରାବୃତ୍ତି ହୋଇପାରେନା । ଯେମିତି ଆମ ଚତୁର୍ଦ୍ଦିଗର ଏ ବୃକ୍ଷଲତାରୁ ବହୁତ ରହିଥିବେ କିନ୍ତୁ କେତେକ କଟା ହୋଇଯାଇଥିବେ ଅଥବା ଭୁଶୁଡ଼ି ପଡ଼ିଥିବେ, ନୂଆ କେତେକ ପୁଣି ଗଜୁରିଥିବେ, ଆଜିର ଏ ନର୍ତ୍ତକୀବର୍ଗ ମଧ୍ୟରୁ ତଥା ଏ ଦର୍ଶକ ମଣ୍ଡଳୀ ଭିତରୁ କେତେକଙ୍କୁ ଚାଟି ନେଇଥବ ମହାକାଳ, ପୁଣି ଯୋଗଦେଇଥବେ ନୂଆ କେତେଜଣ ।“

“ତା’ ପରେ ?”

“ଦିନେ ଏ ସଭିଏଁ ବିଲୁପ୍ତ ହୋଇଥିବେ । ଆମେ ବି ।”

“ଆମେ ବିଲୁପ୍ତ ହେବା ?”

“ଜାଣେ ନା । ହୁଏତ ଅନ୍ୟ କେଉଁଠି, ଭିନ୍ନ କୌଣସି ନାମରେ, ଭିନ୍ନ ପରିସ୍ଥିତିରେ ବିଚରଣ କରୁଥିବା । ହୁଏତ ଆଉ କାହାରି ନୃତ୍ୟ ଗୀତରେ ନିମଜ୍ଜିତ ରହୁଥିବା । ହୁଏତ ପୁଣି ଏମିତି ପ୍ରଶ୍ନ ସବୁକୁ ନେଇ ଧନ୍ଦି ହେଉଥିବା । ନା, ସାରୀପୁତ୍ତ । ମୁଁ ବାସ୍ତବରେ କିଛି ହିଁ ଜାଣେନା ।” କହିଲେ ମୋଗଲ୍ଲନ ।

ଦୁଇ ବନ୍ଧୁ ସିଦ୍ଧାନ୍ତ କଲେ, ଯାହା ଦୁହେଁ ଜାଣିନାହାନ୍ତି, ତାହା ଜାଣିବାର ପ୍ରୟାସ କରିବେ । ଏମିତି ଅଜ୍ଞାନ ଭାବରେ ଜୀବନ ବିତାଇଦେବାର କୌଣସି ମାନେ ନାହିଁ ।

x....x

“ଶୁଣନ୍ତୁ ତେବେ । ମୁଁ କେବଳ ମୋ ବିଶ୍ୱାସ କଥା କହିପାରେ । ମହାବୀର ଜୀନ ଏବଂ ବୁଦ୍ଧ - ଏମାନେ ମହାନ ଜ୍ଞାନଦାତା । କିନ୍ତୁ ସେମାନଙ୍କ ତତ୍ତ୍ବ ଗୋଟାଏ ମୌଳିକ ପ୍ରଶ୍ନର ସମାଧାନ ଦେଉ ନାହିଁ । ଯଦି ଏ ସୃଷ୍ଟି, ଏ ମିଥ୍ୟ ଲୀଳା ଖେଳା, ଏ ଜୀବନ-ରୂପକ ପ୍ରହେଳିକାରୁ ପଳାୟନ ହିଁ ଏକମାତ୍ର ଆଧ୍ୟାତ୍ମିକ ସତ୍ୟ, ତେବେ ଏ ଜୀବନ-ଲୀଳାର ଅବତାରଣା ହେଲା କାହିଁକି ? ଜୀବନର ଯାବତୀୟ ବ୍ୟାପାର ମିଥ୍ୟ ବା ମାୟା ବୋଲି ଘୋଷିତ ହେବାର ହଜାର ହଜାର ବର୍ଷ ପରେ ମଧ୍ୟ ଜୀବନର ଏ ଉଦ୍ଦାମ ଅଭିଯାନ ଚାଲୁ ରହିଛି କେମିତି ? ଏମିତି ହୋଇ ପାରେନା କି ଏ ଉଦ୍ଦାମତା ଏକ ଭ୍ରଷ୍ଟାଚାର ଠିକ୍-କିନ୍ତୁ କୌଣସି ନା କୌଣସି ସତ୍ୟର ହିଁ ଏହା ଭ୍ରଷ୍ଟ ରୂପ ? ଏମିତି ହୋଇ ପାରେନା କି ଏ କାମନା ବାସନାର ଦଂଶନ ବିଷାକ୍ତ, କିନ୍ତୁ କାମନା ବାସନା ହୁଏତ କୌଣସି ଅଚେତନ ଆସ୍ପୃହାର ବିକୃତି ? ଏମିତି ହୋଇପାରେନା କି ଆମର ଯାବତୀୟ ଆବେଗ ପ୍ରବେଗ, ଆଶା ନିରାଶା, ସେସବୁର ବ୍ୟର୍ଥତା ଯୋଗୁଁ ଦିନେ ନା ଦିନେ ଆମକୁ କୌଣସି ଯଥାର୍ଥ ସତ୍ୟର ସନ୍ଧାନ ଦିଗରେ ଅନୁପ୍ରାଣିତ କରିବେ - ଯେଉଁ ସତ୍ୟ ଜୀବନ ବିରୋଧୀ ନୁହେଁ, ଜୀବନର ଦିବ୍ୟ ପରିଣତି ଉପରେ ଆସ୍ଥାଶୀଳ ?”

ବିବେକୀ ସହଚର ହୁଏତ ନିରବରେ ମୋ ଉତ୍ତରର ଅନୁଶୀଳନ କରୁଥିଲେ ।

ମୁଁ ଯାହା କହିଲି, ସେଥିରେ ମୋର ନିଜ ବିଶ୍ଵାସ ଅଟଳ । ନିର୍ବାଣ ସତ୍ୟ, ଅନିର୍ବାଣ ଦିବ୍ୟ ଭବିଷ୍ୟତ ମଧ୍ୟ ସତ୍ୟ । କିନ୍ତୁ ଏ ତ ମୋ ଠାରୁ ଶୁଣି ବନ୍ଧୁଟି କେତେଦୂର ହୃଦୟଙ୍ଗମ କରିବେ ? ଅହେତୁକୀ ଭାବରେ ମନେପଡୁଥିଲା। ବିଲି ସାନ୍ଡ଼େ ନାମକ ଜଣେ ସୁନାମଧନ୍ୟ ଆମେରିକାନ୍ ଧର୍ମ ପ୍ରଚାରକଙ୍କ ଜୀବନର ଗୋଟାଏ ଘଟଣା । ଦିନେ ସେ ନୂଆକରି ଆସିଥିବା ଏକ ସହରର ରାଜପଥରେ ଜଣେ ପିଲାକୁ ପଚାରିଲେ, “ଏଠି ଆଖପାଖରେ ଡାକ ଘର ଅଛି ?”

“ଅଛି ! ଦେଖାଇଦେବି ଆସନ୍ତୁ ।” କହି ପିଲାଟି ତାଙ୍କୁ ଅଦୂର ଡାକଘର ପାଖରେ ଛାଡ଼ିଦେଲା । ଖୁସି ହୋଇ ପ୍ରଚାରକ ପିଲାକୁ କହିଲେ, “ମୋ ନାମ ଶୁଣିଛ କି ନା ଜାଣେନା । ମୁଁ ବିଲି ସାନ୍‌ଡେ । ସେ ଅତିଥି ଭବନରେ ଅଛି । ଯଦି ତମେ କାଲି ସକାଳେ ଆସିବ, ମୁଁ ତୁମକୁ ଈଶ୍ଵରଙ୍କ ପାଖକୁ ଯିବାର ପଥ ଦେଖାଇ ଦେବି ।”

“ଧନ୍ୟବାଦ !” କହିଲା ପିଲାଟି । କିନ୍ତୁ ସେ ହସିଲା ।

“ହସିଲ କାହିଁକି, ବାପା ?” ପ୍ରଶ୍ନ କଲେ କୌତୁହଳୀ ଧର୍ମଯାଜକ ।

“ସତ କଥା କହିବି ? ବାବୁ, ତମେ ତ ଡାକଘରକୁ ବାଟ ଜାଣି ନଥିଲ । ତମେ ପୁଣି ଈଶ୍ଵରଙ୍କ ପାଖକୁ ବାଟ ବତେଇବ ?”

ପିଲାଟି ଦୌଡ଼ି ପଳାଇଲା ।

-“ନିର୍ବାଣ ଅନିର୍ବାଣ”- ଶ୍ରୀ ମନୋଜ ଦାସ (“ଅଜଣାର ଅନ୍ବେଷଣେ)

...more
View all episodesView all episodes
Download on the App Store

SUSHRUTI-The Auditory Versions of Creations by Manoj DasBy World of Manoj Das