Sign up to save your podcasts
Or
ଉଦୟ-ସୂର୍ଯ୍ୟ କ’ଣ ସ୍ଥାନ କାଳ ଭେଦରେ ତାଙ୍କ ଦୀପ୍ତିର ଭିନ୍ନ ଭିନ୍ନ ଶୈଳୀ ପ୍ରକଟ କରନ୍ତି ? ୨୦୦୯ର ଶୀତ - ଶିହରିତ ଏକ ପ୍ରଭାତରେ ତା’ର ତ୍ରିତଳ ଆଶ୍ରୟ ଉପରୁ ପୂର୍ବଦିଗବଳୟକୁ ଦୃଷ୍ଟିପାତ କରି ଏ ଲେଖକ ମନରେ ଏମନ୍ତ ଉଦ୍ଭଟ ପ୍ରଶ୍ନଟି ଜାଗରୁକ ହୋଇଥିଲା । ବିସ୍ତୃତ ସବୁଜ ବନାନୀ ସେପାରିରେ ଉଷାର ଅବଶେଷ ଉପରେ ‘ମହାଦ୍ୟୁତି’ ସୂର୍ଯ୍ୟଦେବଙ୍କ ଉତ୍ତରଣ ଘଟୁଥିଲା । ସେ ଦିଶୁଥଲେ ଅପୂର୍ବ କମନୀୟ ଓ କରୁଣା - ପ୍ରଜ୍ଜ୍ବଳ । ଦ୍ୟୁତି ଓ ସ୍ନିଗ୍ଧତାର ସେମିତି ସମନ୍ବୟ ପୂର୍ବରୁ କେବେ ଲକ୍ଷ୍ୟ କରି ନଥିଲି ।
x......x
ଭାରତର ମୌଳିକ ଜୀବନଦର୍ଶନ କାଳ ଗତିରେ ଅସ୍ପଷ୍ଟ ହୋଇ ଯାଇଥିଲା । ସେ ଜୀବନଦର୍ଶନ ଆସ୍ଥାଶୀଳ । ବହୁ ଦୁଃଖ ଯନ୍ତ୍ରଣା ସତ୍ତ୍ବେ ଜୀବନର ଭିତ୍ତି ଆନନ୍ଦ । ଅଚେତନ ଭାବରେ ତାହାହିଁ ଆମକୁ ଧାରଣ କରି ରଖିଥାଏ । ସାମୟିକ ଭାବରେ ବୌଦ୍ଧବାଦ ତା’ର ଐତିହାସିକ ଭୂମିକା ତୁଲାଇଲା । କ୍ରମବିକାଶର ଧାରାରୁ ବାହାରି ଯାଇ ଯିଏ ନିର୍ବାଣ ଲୋଡ଼ିଲା ବୌଦ୍ଧବାଦ ତାକୁ ସେ ଦିଗରେ ମାର୍ଗ ଦେଖାଇଦେଲା । ବୁଦ୍ଧଦେବଙ୍କୁ ଭାରତୀୟ ମାନସ ଜଣେ ଅବତାର ଭାବରେ ଗ୍ରହଣ କରିନେଲା । କିନ୍ତୁ ଭାରତର ମୌଳିକ ଜୀବନଦର୍ଶନ, ବାରମ୍ବାର ଲୁଚିଯିବା ସତ୍ତ୍ବେ, ନିଜକୁ ପୁନର୍ବାର ସାବ୍ୟସ୍ତ କରିବା ଥିଲା ଅନିବାର୍ଯ୍ୟ ।
ଭାରତୀୟ ଧର୍ମ ଏବଂ ଆଧ୍ୟାତ୍ମିକତାର ଇତିହାସ ଅତୀବ ବିଚିତ୍ର । ପ୍ରତିଟି ଧାରା କାଳକ୍ରମେ ମଳିନ ହୋଇଛି । ସଂସ୍କାର, କୁସଂସ୍କାର ଏବଂ ନିଷ୍ପ୍ରାଣ ଆନୁଷ୍ଠାନିକତା ତା’ର ସତ୍ୟ ଉପରେ ବିକୃତ ମୁଖା ପିନ୍ଧାଇ ଦେଇଛି । ତଥାପି ଟିକିଏ ଗଭୀରକୁ ଗଲେ ସେସବୁର ଅନ୍ତର୍ନିହିତ ଐଶ୍ଵର୍ଯ୍ୟ ଝଟକି ଉଠେ ।
ବୈଦାନ୍ତକ ସତ୍ୟର ମୂର୍ଚ୍ଛିତ ଅବସ୍ଥାରେ ବୌଦ୍ଧବାଦ ବ୍ୟାପ୍ତ ହୋଇଥିଲା । ଯେତେବେଳେ ବୌଦ୍ଧବାଦ ମଧ୍ୟ ଆଚାର ଅନୁଷ୍ଠାନ - ସର୍ବସ୍ବ ହୋଇଉଠିଲା, ତନ୍ତ୍ର ଏବଂ ଅନ୍ୟାନ୍ୟ ପ୍ରାଚୀନ ବିବିଧାନ ସହ ମିଶି ନିଜର ସ୍ବରୂପ ବିସ୍ମୃତ ହେଲା, ସେତେବେଳେ ମହାପ୍ରାଜ୍ଞ ଶଙ୍କରାଚାର୍ଯ୍ୟ ପୁଣି ବେଦାନ୍ତର ପୁନଃପ୍ରବନରେ ବ୍ରତୀ ହେଲେ । ବିଡ଼ମ୍ବନା ହେଲା, ତାଙ୍କ ବ୍ୟକ୍ତିଗତ ମହତ୍ତ୍ବ ଓ ଉପଲବ୍ଧି ଯେତେ ବିପୁଳ ଏବଂ ବ୍ୟାପକ ହେଉନା କାହିଁକି, ସାମୂହିକ ସ୍ତରରେ ସେ ପ୍ରାୟ କଣ୍ଟକେ ନୈବ କଣ୍ଟକମ୍ ରୀତି ଅନୁସରଣ କରି ବୌଦ୍ଧବାଦ ପରିବେଷିତ ନିର୍ବାଣର ଲକ୍ଷ୍ୟ ବୈଦାନ୍ତିକ ମାର୍ଗରେ ମଧ୍ୟ ହାସଲ ହୋଇପାରେ, ଏହି ଦାବି ଉପରେ ଗୁରୁତ୍ବ ଦେଲେ; ଅନ୍ତତଃ ତାହାହିଁ ହେଲା ସାଧାରଣ ଗ୍ରହଣଯୋଗ୍ୟ ତତ୍ତ୍ବ । ତାଙ୍କ ସମାଲୋଚକମାନେ ତାଙ୍କୁ ପ୍ରଚ୍ଛନ୍ନ ବୁଦ୍ଧ ଆଖ୍ୟାଦେଲେ ।ଏହି ପଲ୍ଲବଗ୍ରାହୀ ଧାରଣ ଗୋଟାଏ ମଜାକଥା ମନେ ପକାଇଦିଏ: ଭିକାରୀଟିଏ ଆସି ଗୋଟିଏ ଘର ଆଗରେ ଠିଆହୋଇ ମୁଠାଏ ଚାଉଳ ମାଗିଲା । ଫାଟକ ପାଖରେ ଥିବା ଘରର ବୋହୁ କହିଲା, “ଆଜି ଗୁରୁ ବାର; ଘରୁ ଚାଉଳ ଦେବା ନିଷେଧ । କାଲି ଆସ ।”
ଭିକାରୀ ବୁଲିପଡ଼ି ଚାଲିଯାଉଥିଲା । ଉପର ମହଲା ବାରାନ୍ଦାରୁ ଗୃହକର୍ତ୍ତା ପାଟି କରି ତାକୁ ପଚାରିଲେ, “କିରେ- ଚାଲି ଯାଉଛୁ କାହିଁକି ?ଭିକାରୀ ନମ୍ର ଭାବରେ ବୋହୁଙ୍କ ବକ୍ତବ୍ୟର ପୁନରାବୃତ୍ତି କରନ୍ତେ କର୍ତ୍ତ୍ରୀ କହିଲେ, “ସେକଥା କହିବାକୁ ସିଏ କିଏ ? ବର୍ତ୍ତମାନ ମୁଁ କହୁଛି, ଆଜି ଗୁରୁ ବାର, ଘରୁ ଚାଉଳ ଦିଆଯାଇ ପାରିବ ନାହିଁ । କାଲି ଆସ ।” ସ୍ଥାନ କାଳ ପାତ୍ରଠୁ ବହୁଦୂର ଚାଲିଆସି ଏଭଳି ମନ୍ତବ୍ୟ ଆମେ ଦେଇପାରୁ ସିନା, କିନ୍ତୁ ବିଗତ ଏକ ଯୁଗର ବାତାବରଣ, ସାମୂହିକ ମାନସିକତା, ସାମାଜିକ ଅବସ୍ଥା ଓ ବ୍ୟବସ୍ଥା ସହ ଏକାତ୍ମ ହେବା ସହଜ ନୁହେଁ । ଉଭୟ ବୁଦ୍ଧ ଓ ଶଙ୍କର ମହାନ୍; ଇତିହାସରେ ସେମାନଙ୍କ ଭୂମିକାର ବିକଳ୍ପ ନଥିଲା । ସେସବୁ ଭୂମିକା ପ୍ରତି ସଶ୍ରଦ୍ଧ ସ୍ବୀକୃତି ଦେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସତ୍ୟପ୍ରତି ଆମେ ଉନ୍ମୁଖ ହେବା ଆବଶ୍ୟକ । ଜୀବନ ମାୟା ନୁହେଁ, ଯଦିଓ ମାୟା ଦ୍ବାରା ଆଚ୍ଛନ୍ନ । ଆଧ୍ୟାତ୍ମିକ ଜିଜ୍ଞାସୁ ଆଗରେ ଦୁଇ ପଥ ସୁସ୍ପଷ୍ଟ ହେବା ଚାହି: ସେ ମାୟାଚ୍ଛନ୍ନ ଜୀବନକୁ ସମ୍ପୂର୍ଣ୍ଣ ମାୟା ବୋଲି ଗ୍ରହଣ କରି ନିର୍ବାଣ ସକାଶେ ପ୍ରୟାସୀ ହୋଇପାରେ । ଅଥବା ସେ ଜୀବନକୁ ସତ୍ୟ ବୋଲି ଗ୍ରହଣକରି ମାୟାଜାଲରୁ ମୁକ୍ତ ହେବାକୁ ପ୍ରୟାସୀ ହୋଇପାରେ ।
ବୋଧିଦ୍ରୁମ ଉପରେ ଗୋଧୂଳି ଅବତରଣ କରୁଥିଲା । ସ୍ଥାନୀୟ ବନ୍ଧୁ ଦ୍ବୟ ମନେପକାଇଦେଲେ: ଟିକିଏ ବୁଲାବୁଲି କରିବେ ତ ? ସେ ପରିସରରୁ ବାହାରି ଆସିଲି । “ହେଇଟି ଜାପାନୀ, ହେଇଟି ତିବ୍ବତୀୟ, ହେଇଟି ବ୍ରହ୍ମ ଦେଶୀୟ ବୁଦ୍ଧ ମନ୍ଦିର; ହେଇଟି ନେପାଳୀ, ହେଇଟି ଭୁଟାନୀ ପୁଣି ଶ୍ୟାମ ଦେଶୀୟ ବୁଦ୍ଧ ମନ୍ଦିର, ହେଇଟି ଶ୍ରୀଲଙ୍କା ପ୍ରଯୋଜିତ ବୁଦ୍ଧମନ୍ଦିର...” ବନ୍ଧୁମାନେ ଦେଖାଇ ଚାଲିଥିଲେ ବୁଦ୍ଧ ପରେ ବୁଦ୍ଧ । ହାୟ ବୃଦ୍ଧ ! ଏକଦା ବ୍ୟାଙ୍କୋକ୍ରେ ଦେଖିଥିଲି ତମ ବିଶାଳ ବୈଦୁର୍ଯ୍ୟ ମୂର୍ତ୍ତି ଆଗରେ ଗଦାଗଦା କୁକୁଡ଼ା ବଳି; ଆଜି ଦେଖୁଛି ଦେଶ ଜାତି ଭିରିରେ ବୁଦ୍ଧ-ବିଭାଜନ । “ହାୟ ବୃଦ୍ଧ’ କହି ଭୁଲ କଲି । ହାୟ ଆମେ !
-“ନିରଞ୍ଜନା ତୀରେ”-“ଅଜଣାର ଅନ୍ବେଷଣେ”- ଶ୍ରୀ ମନୋଜ ଦାସ