“କୁକୁର ମଣିଷକୁ କାମୁଡିଲେ ତାହା ଖବର ପର୍ଯ୍ୟାୟରେ ଯିବ ନାହିଁ; କିନ୍ତୁ ମଣିଷ କୁକୁରକୁ କାମୁଡିଲେ ସେଇଟା ହେବ ଖବର!” ଆମେରିକାନ୍ ସାମ୍ବାଦିକ ଜନ୍ ବୋଗାର୍ଟଙ୍କର ଏ ଉକ୍ତିଟି ଅନେକଙ୍କୁ ଜଣାଥିବା ଅଥାତ, ଯାହା ଅସ୍ବାଭାବିକ, ଅପ୍ରତ୍ୟାଶିତ, ତାହାହିଁ ଲୋକଙ୍କୁ ଆକୃଷ୍ଟ କରେ
x......x
ଡାର୍ଉଇନ୍ ପଶୁରୁ ମଣିଷ ଯାଏ ବିବର୍ତ୍ତନର ଯେଉଁ ଧାରା ଦର୍ଶାଇଛନ୍ତି, ତାହା ଅବିକଳ ବାସ୍ତବ ନହୋଇ ଥାଇପାରେ କିନ୍ତୁ ଚେତନା ଯେ ମଣିଷ ପୂର୍ବରୁ ପଶୁ ରୂପରେହିଁ ପ୍ରକଟିତ ହୋଇଥୁଲା, ସେଥିରେ ସନ୍ଦେହର ଅବକାଶ ନାହିଁ । ଆମେ ଆଜି ସଭ୍ୟ, ସଂସ୍କୃତ ଓ ଭବ୍ୟ ମଣିଷ । କିନ୍ତୁ ଆମ ଚେତନାରେ ବିବର୍ତ୍ତନର ପ୍ରତି ପର୍ଯ୍ୟାୟର ସ୍ମୃତି ଲୁକ୍କାୟିତ ଭାବରେ ରହିଛି । ପଶୁତ୍ବ ସର୍ବବ୍ୟାପୀ ଚେତନାର ଅତୀତର ଏକ ବାସ୍ତବତା । ତା’ର ଆକର୍ଷଣ ମଧ୍ୟ ସେହି ଲୁକ୍କାୟିତ ସଂସ୍କାରର ଅଂଶ ବିଶେଷ । ସୁଦୂର ଅତୀତରେ ପ୍ରାଗୈତିହାସିକ ଯୁଗରେ ମଣିଷ ହିଂସ୍ର ହେବାକୁ ବାଧ୍ୟ ଥିଲା । ଆରଣ୍ୟକ ପଶୁ ସହ ପ୍ରତିଯୋଗିତା କରି ତାକୁ ଖାଦ୍ୟ ସଂଗ୍ରହ କରିବାକୁ ପଡ଼ିଛି; । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ମଣିଷ ମଣିଷ ଭିତରେ ହିଂସ୍ର ସଂଘର୍ଷ ଅନିବାର୍ଯ୍ୟ ହୋଇଆସିଛି । ବ୍ୟକ୍ତିଗତ ଜୀବନରେ ଥରେ ଥରେ ଘଟଣାଚକ୍ରରେ ସେହି ପ୍ରଦମିତ ପ୍ରବେଗ ଆତ୍ମପ୍ରକାଶ କରେ - ଭିନ୍ନ ଭିନ୍ନ ରୂପରେ । ସାଧୁ, ଭଲ ମଣିଷ, ନୀତିବାନ୍ଭାବେ ଜଣାଶୁଣା ବ୍ୟକ୍ତିଟିଏ କେବେ କେବେ ଆଶ୍ଚର୍ଯ୍ୟଜନକଭାବେ ବିଦ୍ବେଷମୟ ଅଶାଳୀନ ଆଚରଣ କରିବାର ଦେଖାଯାଏ ।
ମନସ୍ତତ୍ତ୍ବର ଏହି ଦୁର୍ଭାଗ୍ୟଜନକ ନିୟମକୁ ସାଧାରଣ ଯୁକ୍ତି ଦ୍ଵାରା ବଦଳାଇ ଦେଇହୁଏ ନାହିଁ । ଜଣେ ଯେତେବେଳେ କୌଣସି କାରଣରୁ ନିଜ ଅହଂ ପାଖରେ ଆତ୍ମସମର୍ପଣ କରିଦିଏ, ସେତେବେଳେ ବାତାବରଣରେ ଥିବା କୁଶକ୍ତିମାନେ ତା’ର ସୁଯୋଗ ନେଇ ତାକୁ ପ୍ରୋତ୍ସାହନ ଦିଅନ୍ତି । କ୍ରମେ ସେ ସମ୍ପୂର୍ଣ୍ଣ ଆତ୍ମବିସ୍ମୃତ ହୋଇଯାଏ । ସୁନ୍ଦରକୁ ଅସୁନ୍ଦର କରିପକାଇବା, ସମ୍ମାନିତକୁ ଅସମ୍ମାନ କରିବା, ଯେଉଁ ଆଦର୍ଶ ପ୍ରତି ଆନୁଗତ୍ୟ ଥିବ, ତାହାରି ଅପମାନ କରିବା, ପରିଚ୍ଛନ୍ନକୁ ଅପରିଚ୍ଛନ୍ନ କରି ପକାଇବା ସେତେବେଳେ ତା’ର ସ୍ବାଭାବିକ କର୍ମଧାରାରେ ପରିଣତ ହୁଏ ।
x.......x
-“ଶ୍ବାନ-ମାନବ!”- ଶ୍ରୀ ମନୋଜ ଦାସ- “ଚେତନାର ଦିଗ୍ବଳୟ”- “ନବପ୍ରକାଶ”- ଅଗଷ୍ଟ-୨୦୧୩