ପ୍ରେମ - ହୃଦୟ ପେଡ଼ିର କେଉଁ ନିଭୃତ କୋଣରେ କାହାପାଇଁ ସାଇତା ହୋଇ ମହ ମହ ବାସୁଥିବା ପବିତ୍ରତମ ଏକ ଅପ୍ରକାଶ୍ୟ ଭାବନା । କେବେ ସେ କଜ୍ଜ୍ୱଳର ଗାଢ଼ ପରଦାକୁ ଆଡ଼େଇ ଲାଜେଇ ଚାହେଁ, କେବେ ଥର ଥର ପ୍ରକମ୍ପିତ ଓଠରେ ଦୁଷ୍ଟାମିର ହସହୋଇ ଲୁଚିଯାଏ ତ ଆଉ କେବେ ଚିକ୍ ମିକ୍ ତାରାଫୁଲ ହୋଇ ଚମକୁଥାଏ ଘନକୃଷ୍ଣ କୁନ୍ତଳରେ । କେବେ ସେ ବସନ୍ତର ପହିଲି ଛୁଆଁ ହୋଇ ମନରେ ଅଜଣା ପୁଲକ ଖେଳାଏ ତ ପୁଣି କେବେ ଦିଏ ଝାଞ୍ଜିର ସନ୍ତାପିତ ବିରହ ବେଦନା । ପ୍ରତିବେଶୀ ମନ ଯେବେ ଝୁରିହୁଏ କାହାର ଉନ୍ମେଷ, କାହାର ଅନୁପସ୍ଥିତିରେ ଖୋଜୁଥାଏ ସାନ୍ନିଧ୍ୟର ନିବିଡ଼ ଆଶ୍ଳେଷ, ଅନାବନା ଖିଆଲରେ ସାଉଁଟୁଥାଏ ଶୋରିଷ କ୍ଷେତର ମହକ, କେବେ ଚେନାଏ ହସର ତରଙ୍ଗରେ ଭାସୁଥାଏ, କେବେ ଅସରାଏ ଲୁହରେ ଭିଜୁଥାଏ ତ ପୁଣି କେବେ ଆନମନା ଭାବନା ହୋଇ ଡେଇଁଯାଏ ଦୂର ଦିଗ୍ବଳୟ, ସେବେ କଳ୍ପନା ବୀଜର ଅଙ୍କୁରୋଦ୍ଗମ ଆଲୋକର ପ୍ରତୀକ୍ଷାରେ ଥାଏ - ପ୍ରେମ ହେଇଯାଏ !!