x.....x
ସେ ରାତିର ଅପୂର୍ବ ଅନୁଭୂତି ପାସୋରିବା ସମ୍ଭବ ନୁହେଁ । ଜହ୍ନପ୍ଲାବିତ ଅରଣ୍ୟ । ମଧ୍ୟେ ମଧ୍ୟେ ଅପରିଚିତ ଜୀବଜନ୍ତୁ ଓ ପକ୍ଷୀଙ୍କ ଆବାଜ୍ । ନିଶୀଥରେ ଗଛଲତାମାନେ ସେମାନଙ୍କ ନିଜସ୍ବ ପ୍ରାଣସତ୍ତାରେ ଉଚ୍ଛଳ ଦିଶୁଥିଲେ । ଆଶାକରେ ମଣିଷଟିଏ ଚେଇଁରହି ସେମାନଙ୍କୁ ଲକ୍ଷ୍ୟ କରୁଛି ବୋଲି ସେମାନେ ଜାଣୁନଥିଲେ। ତେଣୁ ମନେହେଲା, ସେମାନେ ପରସ୍ପର କଥାଭାଷା ହେଉଥିଲେ ମନେହେଉଥିଲା, ଜହ୍ନ ଆଲୁଅ ଭିତରେ ସଞ୍ଚରଣ କରୁଥିବା କୌଣସି ଅଦୃଶ୍ୟ ତରଙ୍ଗ ଏକପ୍ରକାର ସଙ୍ଗୀତ ବିତରଣ କରୁଥିଲା, ଯାହାର ସ୍ବର କଦାପି ମଣିଷ କାନରେ ପଡ଼ିବ ନାହିଁ, କିନ୍ତୁ ତାହା ସହ ଏକାତ୍ମ ହେବା ସମ୍ଭବ ଓ ତାକୁ ଅନୁଭବ କଲେ ଏକ ଭିନ୍ନ ଜଗତ ସହ ଯୋଗାଯୋଗ ମାର୍ଗ ଖୋଲିଯିବ।
ଅରଣ୍ୟର ସେହି ନିଷିଦ୍ଧ ଇଲାକାରେ, ସେହି ନିସ୍ତବ୍ଧ ଓ ନିର୍ଜନ ରଜନୀରେ, ମନେ ହୋଇଥିଲା ସେହିଭଳି ଯୋଗାଯୋଗର ଦ୍ବାରଦେଶ ଯାଏଁ ଯାଇ ଯେମିତି ମୁଁ ଅଟକିଯାଉଛି । ସେପାରିକୁ ଯିବାର ପ୍ରସ୍ତୁତି ନାହିଁ ସମ୍ଭବତଃ । ତଥାପି ସେତିକି ଅନୁଭୂତି ଥିଲା ସେ ଅରଣ୍ୟର ଆଶୀର୍ବାଦ । ଆଶ୍ଚର୍ଯ୍ୟ ! ଉପର୍ଯ୍ୟୁପରି ତିନିରାତିର ଅନିଦ୍ରା ସତ୍ତ୍ବେ, ସେମିତି ଅରଣ୍ୟ ଅବଲୋକନ ଭିତରେ ସମସ୍ତ କ୍ଳାନ୍ତିର ଅପନୋଦନ ହୋଇସାରିଥିଲା ।
x.....x
ଆମେ ହାତୀ ରାଜ୍ୟରେ ପ୍ରବେଶକଲୁଁ । ତାହା ଏକ ବ୍ୟାପକ ଅଞ୍ଚଳ । ସେହିଠାରେ ହାତୀ ମାନଙ୍କୁ ମଣ କରାଯାଏ ବିଭିନ୍ନ କାମ ପାଇଁ; ପୁଣି ନୂଆ ହାତୀ ମାନଙ୍କୁ କବ୍ଜାରେ ପକାଇବା ପାଇଁ ସେମାନଙ୍କୁ ତାଲିମ୍ ଦିଆଯାଏ ।
ଆମକୁ ଆସି ପ୍ରାୟ ସଙ୍ଖୋଳିନେଲେ ଯୋଡ଼ିଏ ଶିଶୁହାତୀ । ସେମାନଙ୍କର ସେ ଚପଳ କୋମଳ ଲମ୍ଫଝମ୍ପ ଦେଖି ମନେହୋଇଥିଲା ଭୂପୃଷ୍ଠର ଅରଣ୍ୟ ଭିତରକୁ ଯେପରି ସ୍ବର୍ଗର ନନ୍ଦନବନର ପବନ ବହିଆସିଥିଲା ।
ପୂର୍ବାକାଶ ଉଜ୍ଜ୍ବଳ ହୋଇଆସୁଥାଏ । କୁହୁଡ଼ି ଭିତରୁ ଧୀରେ ଧୀରେ ବାରି ହୋଇପଡ଼ିଲେ ଧାଡ଼ିବଦ୍ଧ ପଲେ ହାତୀ । ପଟ୍ଟଭୂମିରେ ପାହାଡ଼ ଥାଇ, ସେମାନଙ୍କର ସେ ପ୍ରଭାତକାଳୀନ ସମାବେଶର ଦୃଶ୍ୟ ପ୍ରକୃତିର ଏକ ଆଶୀର୍ବାଦଭଳି ମନେହୋଇଥିଲା ।
ଗୋଟିଏ ଚାଳଘର ସାମନାରେ ସ୍ଥାନୀୟ କର୍ମଚାରୀମାନେ ମୋତେ ବସିବା ପାଇଁ ଚୌକିଟିଏ ଆଣି ଦେଲେ ।
“କନ୍ନଗୀ ! ଏ ଆଡ଼େ ଆସ । କପିଳ, ତମେ ବି ଆସ !” ଅରଣ୍ୟ-ରକ୍ଷକ ଶିଶୁହାତୀ ଦୁଇଟିକୁ ନିମନ୍ତ୍ରଣ କଲେ । ଝିଅ ହାତୀ, ପୁଅ ହାତୀ ଦୁହେଁ ଦୌଡ଼ିଆସିଲେ ।
“ଚମତ୍କାର ନାମ ଦେଇଛନ୍ତି !”- ମୁଁ କହିଲି ।
“କନ୍ନଗୀନାମର ତାତ୍ପର୍ଯ୍ୟ ଜାଣନ୍ତି ?” - ରକ୍ଷକ ମହାଶୟ ପଚାରିଲେ ।
“ହଁ । ତାମିଲ୍ ସାହିତ୍ୟର ଅମର ଗୌରବ ‘ସିଲାପ୍ପଦିକରମ୍’ର ଦେବୀ-ସଦୃଶା ନାୟିକା”- ମୁଁ କହିଲି ।
“ବାଃ, ... ଆଉ କପିଳ ହେଲେ...”
“ଜାଣେ ... କପିଳ ମୁନିଙ୍କ ମହାନ୍ ନାମ ସହ କାହାର ବା ପରିଚୟ ନାହିଁ ? ପ୍ରାଚୀନ ସାହିତ୍ୟ ଓ ପୁରାଣରୁ ଦୁଇ ଅବିସ୍ମରଣୀୟ ନାମରେ ଏ ଭାଇଭଉଣୀ ଦୁଇଟିକୁ ନାମିତ କରି ଆପଣମାନେ ଉନ୍ନତ କଳ୍ପନାର ପରିଚୟ ଦେଇଛନ୍ତି ।”... କହିଲି ।
ଅରଣ୍ୟ - ଅଧିକାରୀ ଟିକିଏ ଅପ୍ରତିଭ ଦେଖାଗଲେ । “ପ୍ରକୃତରେ କପିଳର ପୂରା ନାମ କପିଳଦେବ - ଖେଳାଳି ।”
“ଓ8” ... ମୁଁବି ଅପ୍ରତିଭ ହେଲି । କାରଣ ମୋ ପାଇଁ ତାହା ଏକ ସମସାମୟିକ ଜନପ୍ରିୟ ଶବ୍ଦ ମାତ୍ର । ସେ ନାମର ଅଧିକାରୀ ଭଦ୍ରଲୋକ ଯେଉଁ ଆକାଶର ତାରକା, ସୌଭାଗ୍ୟ ବା ଦୁର୍ଭାଗ୍ୟ, ସେ ଆକାଶ ମୋ ଦୃଷ୍ଟିବଳୟର ବାହାରେ ।
କନ୍ନଗୀ ଓ କପିଳଙ୍କୁ ତଥା ସେମାନଙ୍କ ମାଆମାନଙ୍କୁ ଦେବା ନିମନ୍ତେ କର୍ମଚାରୀ ମାନେ ମୋ ହାତରେ ନଡ଼ିଆ ଧରାଇଦେଲେ । ନଡ଼ିଆ ସେମାନଙ୍କ ପାଇଁ ଏକ ସୌଖୀନ ଖାଦ୍ୟ । ମା’ହାତୀ ମାନେ ସନ୍ତାନମାନଙ୍କୁ ଦୁଧ ଦେବେ, ଅତଏବ ସେମାନଙ୍କୁ ନଡ଼ିଆ ଦେବାର ବ୍ୟବସ୍ଥା ଅଛି । ପୁରୁଷ ହାତୀମାନଙ୍କୁ ସାଧାରଣତଃ ଏ ଖାଦ୍ୟ ମିଳେ ନାହିଁ । ସେମାନେ ବିକଳ ଭାବରେ ଅନାଇଥାନ୍ତି । ମୋ ଅସ୍ବସ୍ତି ଭାବ ବୁଝିପାରି ସେମାନଙ୍କୁ ମଧ୍ୟ ନଡ଼ିଆ ପରଷିଦେବାର ଅନୁମତି ମୋତେ ଦିଆଗଲା ।
ଇତିମଧ୍ୟରେ କର୍ମଚାରୀ ମାନେ ଗୁଡ଼ ମିଶ୍ରିତ ଚାହା ତିଆରି କରି ଆଣି ମୋତେ ଦେଲେ । ସହୃଦୟ ହାତୀ ପଲ ଗହଣରେ ଧୀରେ ସୁସ୍ଥେ ଚାହା ପିଇବା ଭିତରେ କିନ୍ନଗୀ ଓ କପିଳ ସହ କଥାଭାଷା ହେବାର ସେ ମୁହୂର୍ତ୍ତ କେତୋଟି ଜୀବନବ୍ୟାପୀ ଅବିସ୍ମରଣୀୟ ହୋଇ ରହିବ । କନ୍ମଗୀ ଓ କପିଳ ବଡ଼ ଭଦ୍ର ଓ ଉଦାର । କିନ୍ତୁ ତାଙ୍କ ମୁଣ୍ଡ ଆଉଁସିଲେ ପଳାଇଯାନ୍ତି । କର୍ମଚାରୀ ମାନେ ବୁଝାଇଦେଲେ, ମୁଣ୍ଡରେ ସାମାନ୍ୟ ଚାପ ପଡ଼ିଲେ ହାତୀ ମାନେ ବିଚଳିତ ବୋଧକରନ୍ତି ।
କନ୍ମଗୀ ଓ କପିଳଙ୍କୁ ମୁଁ ଗେଲ କରୁଛି ଓ ଖୁଆଉଛି, ଏ ଦୃଶ୍ୟ ପ୍ରତି ଉଭୟଙ୍କର ମାଆ ଦୁଇଜଣ ଏଡ଼େ ସଦିଚ୍ଛା ପୂର୍ଣ୍ଣ ଦୃଷ୍ଟିରେ ଅନାଇଥାନ୍ତି ଯେ, ସେମାନେ ‘ପଶୁ’ ବୋଲି ମୁଁ ପାସୋରି ଦେଇଥିଲି । ସେମାନଙ୍କ ସେ ଦୃଷ୍ଟି ମନେହୋଇଥିଲା ଦେବୋପମ, ମହନୀୟ । ବୁଦ୍ଧଜାତକର କାହାଣୀଟିଏ ଜୀବନ୍ତ ହୋଇଉଠିଥିଲା ସ୍ମୃତିରେ
--“ ଅରଣ୍ୟରେ ଏକ ପ୍ରଭାତ”- ଶ୍ରୀ ମନୋଜ ଦାସ- “ଅନ୍ତରଙ୍ଗ ଭରତ”- ପ୍ରଥମ ପର୍ଯ୍ୟାୟ