x....x
ଲିଲି ହସ ହସ ମୁହଁରେ ସେ ଦୁହିଁଙ୍କ ପିଠି ଥାପୁଡ଼ାଇଦେଲା । ତାପରେ ହଟୁ ମୁହଁ ପାଖରେ ଖଣ୍ଡିଏ ରୁମାଲ ଧରି କହିଲା, “ନିଅ, ଶିଙ୍ଗାଣିତକ ପୋଛିପକାଅ !”
ଶିଙ୍ଘାଣି ପୋଛିବା ପାଇଁ ଖଣ୍ଡିଏ ସୁବାସିତ ରଙ୍ଗିନ୍ ରୁମାଲ ବ୍ୟବହାର କରିବାର ପ୍ରସ୍ତାବ ହଟୁକୁ ସ୍ଵାଭାବିକତଃ କିଂକର୍ତ୍ତବ୍ୟବିମୂଢ଼ କରିଦେଲା ।
“ଜେଜେଙ୍କ କ୍ଲିନିକ୍ରେ ରୋଗୀମାନଙ୍କ ସେବା କରିବା ପାଇଁ ମୋତେ ବଡ଼ ସୁଖ ଲାଗେ”- କହୁଁ କହୁଁ ଲିଲି ନିଜେ କାମଟି ସମାଧାନ କରି ରୁମାଲ ଖଣ୍ଡିକୁ ଘରଗୋଟାଏ କୋଣକୁ ଫୋପାଡ଼ିଦେଲା ।
ଏହାପରେ ତା ଦୃଷ୍ଟି ଆକୃଷ୍ଟ ହେଲା ହାଡୁ ପ୍ରତି । “ଖୋଲ, ତମ ପେଣ୍ଟର ବୋତାମ ଖୋଲ ।” ସେ ନିର୍ଦ୍ଦେଶଦେଲା ।
ଏଥିରେ କେବଳ ଯେ ବିଚାରା ହାଡୁ ବିକଳ ଦେଖାଗଲା ତାହା ନୁହେଁ, ମୁଁ ମଧ୍ୟ ଲାଜେଇଗଲି । ହଟୁ ଭିତରେ କିନ୍ତୁ ତା ସ୍ବଭାବସିଦ୍ଧ ନେତୃତ୍ୱଗୁଣ ଏକ ସାମୟିକ ସଙ୍କଟ ପରେ ପରେ ପୁଣି ତେଜୀୟାନ୍ ହୋଇଉଠୁଥାଏ । ସେ ହାଡୁକୁ ଧମକଦେଲା, “ଆରେ, ଖୋଲ !”
“ଛିଃ, ଏମିତି ପାଟି କରୁଛ କାହିଁକି ?”- କହି, ହଟୁ ଆଡ଼କୁ ସସ୍ନେହ ଭର୍ତ୍ସନାସୂଚକ ଆଖିରେ ଅନାଇ, ଲିଲି ନିଜେ ହାଡୁର ପେଟିର ବୋତାମ ଖୋଲିବାକୁ ଲାଗିଲା । ଲିଲିର ଉଦ୍ଦେଶ୍ୟ କ’ଣ ହୋଇପାରେ ତାହା ମୁଁ ଭାବିପାରିବା ପୂର୍ବରୁ ଲିଲି ହାଡୁର ଅପରିଚ୍ଛନ୍ନ ଜାମାଟିର ତଳ ଅଂଶକୁ; ଯାହାକି ତା ପେଣ୍ଟ ଉପରେ ପଡ଼ିଥିଲା, ପେଣ୍ଟ ଭିତରକୁ ଠେଲି ଦେଇ ପୁଣି ବୋତାମ ଲଗାଇଦେଲା ଓ କହିଲା, “ପେଣ୍ଟ୍ ସାର୍ଟ ଏମିତି ପିନ୍ଧିବାକୁ ହୁଏ ।”
“ମୁଁ ଠିକ୍ ଭାବରେ ପିନ୍ଧ, ହି ହିଃ!” କହିଲା ହଟୁ, ଯଦିଓ ସେ କ୍ବଚିତ୍ କେବେ ସାର୍ଟ ପିନ୍ଧୁଥିଲା । ଆପାତତଃ ହଟୁର ଓ ମୋର ଉପରାର୍ଦ୍ଧ ଦିଗମ୍ବର ଥିଲା ।
‘‘ତମେ ସକାଳେ ଜଳଖିଆ ଖାଇନାହଁ ନିଶ୍ଚୟ !”- ଲିଲି ଏଥର ପୁଣି ହଟୁ ଉପରେ ଦୃଷ୍ଟି ପକାଇ ପ୍ରଶ୍ନ କଲା ଏବଂ ହଟୁର ଉତ୍ତରକୁ ଅପେକ୍ଷା ନରଖି କହିଲା, ‘‘ଖାଇନାହଁ ନିଶ୍ଚୟ, ନହେଲେ ନଖ କାମୁଡ଼ି ଖାଆନ୍ତ କାହିଁକି ! ମୁଁ ବରଂ କିଛି ସାମାନ୍ୟ ଜଳଖିଆ ଆଣେ ।” ଲିଲି ଘର ଭିତରକୁ ଚାଲିଗଲା ।
ନଖ କାମୁଡ଼ିବା ଥିଲା ହଟୁର ଦୈନନ୍ଦିନ ଅଭ୍ୟାସ । ଅଥଚ ବର୍ତ୍ତମାନ ସିଏ ନିର୍ଲଜ ଭାବରେ ଆମ ଆଗରେ ବାହାଦୁରୀ ବାହାରକଲା, ‘‘ଦେଖିଲ ! କେମିତି ଜଳଖିଆ ଅଣାକରାଇଲି ।
x.......x
“ତମେ ସମସ୍ତେ ଚାହା ପିଅ ?”- ଲିଲି ପଚାରିଲା ।
“ନା”- ମୁଁ କହିଲି ।
‘‘ନା” - ହାଡ଼ୁ କହିଲା ।
“ହଁ”- ହଟୁ କହିଲା, “ତେବେ ନହେଲେ ଚଳିବ ।”
କିଛି ସମୟ ଭିତରେ ମୋତେ ଓ ହାଡୁକୁ ହତବାକ୍ କରିଦେଇ ଲିଲି ଓ ହଟୁ ଚାହା ପିଇଲେ । ହଟୁ ଅବଶ୍ୟ ଜିଭ ଓଠ ପୋଡ଼ି ପକାଇବାର ମୁଁ ବୁଝିପାରିଲି; କିନ୍ତୁ ସେ ସମ୍ଭାଳିଗଲା ।
ଆମେ ହତବାକ୍ ହେବାର କାରଣ, ଚାହା କେବଳ ମାତ୍ର ଅଭିଜାତ ବୟୋବୃଦ୍ଧମାନଙ୍କ ବିଳାସସୂଚୀର ଅନ୍ତର୍ଭୁକ୍ତ ମଦ୍ୟଜାତୀୟ ଏକ ପାନୀୟ ବୋଲି ସେଯାଏ ଆମର ଧାରଣା ଥିଲା । ସେ ଯୁଗରେ ଆମ ଗାଁରେ କେହି ଚାହା ପିଉନଥିଲେ । ନିକଟତମ ଚାହାପିଆଳିଙ୍କ ନିବାସ ଥିଲା ଦେଢ଼କ୍ରୋଶ ଦୂରବର୍ତ୍ତୀ ପୂର୍ବକଥିତ ଡାକଘର-ଡାକ୍ତରଖାନା ସମୃଦ୍ଧ ଆଧୁନିକତର ଗ୍ରାମରେ । ସେ କିଶୋରକାଳରୁ ସହରରେ ଚାକିରି କରି ଚାହାପିଆର ଅଭ୍ୟାସ ଧରି ଫେରିଥିଲେ । ସେ ଅଞ୍ଚଳରେ ନଟବର ନାମଧାରୀ ଅନ୍ୟ ବ୍ୟକ୍ତିମାନଙ୍କଠାରୁ ତାଙ୍କ ପାର୍ଥକ୍ୟ ସୂଚାଇବା ନିମନ୍ତେ ଲୋକେ ତାଙ୍କୁ ଚାହାପିଆ ନଟବର ବୋଲି ଅଭିହିତ କରୁଥିଲେ ।
। ଉକ୍ତ ଚାହାପିଆ ନଟବରଙ୍କ ଏକମାତ୍ର କନ୍ୟା ଆମ ଗ୍ରାମରେ ବିବାହ କରିଥିଲେ । ସେହି କରୁଣଦର୍ଶନା ମହିଳାଙ୍କର ସନ୍ତାନ-ସନ୍ତତି ହେଲାନାହିଁ । ଫଳରେ ଆମ ମା’ମାନେ କହୁଥିବାର ମୁଁ ଶୁଣିଥିଲି– ନଟବର ଆକୈଶୋର ଅତ୍ୟଧିକ ଚାହା ପିଉଥିବାରୁ ତାଙ୍କ ଔରସଜାତ କନ୍ୟାଟି ଆଜନ୍ମ ସନ୍ତାନ-ଧାରଣ-କ୍ଷମତା-ବିରହିତା ।
ତେବେ ମହିଳାଙ୍କ ସ୍ବାମୀ ଆହୁରି ଦୁଇଟି ବିବାହ କରିବା ସତ୍ତ୍ୱେ ନିଃସନ୍ତାନ ରହିବାରୁ କାଳକ୍ରମେ ଚାହାପିଆ ନଟବର ଓ ତାଙ୍କ କନ୍ୟାଙ୍କ ଅପଯଶ ମନ୍ଦୀଭୂତ ହୋଇଆସିଥିଲା ।
ଆମେ ପୁନର୍ବାର ଉପରଓଳି ଆସିବାର ପ୍ରତିଶ୍ରୁତି ଦେଇ ବିଦାୟ ନେଇଁ । ରାସ୍ତାରେ କିଛି ସମୟ ନୀରବରେ ଚାଲିବା ଉତ୍ତାରୁ ନଈକୂଳରେ ହଠାତ୍ ହଟୁ ଛନ୍ଦହୀନ, ତାଳହୀନ ଭାବରେ ପାଦ ପକାଇବାର ଦେଖାଗଲା । ଆମ ଗ୍ରାମରେ କେହି ମାତାଲ ହୋଇନଥିଲେ । କିନ୍ତୁ ଦେଢ଼କ୍ରୋଶ ଦୂରବର୍ତ୍ତୀ ଆଧୁନିକତର ଗ୍ରାମରେ ଥରେ ଗୋଟିଏ ଥିଏଟରରେ ଆମେ ଜଣକୁ ମାତାଲ ଅଭିନୟ କରିବାର ଦେଖିଥିଲୁଁ । ହଟୁର ଚାଲି, ପରେ ପରେ ତା’ର ଅସଂଲଗ୍ନ କଥାବାର୍ତ୍ତା, ସେ ଅଭିନୟ ସହ ମିଶିଯିବାରୁ ଆମର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଚାହା ତା’ର ପ୍ରତିକ୍ରିୟା ଆରମ୍ଭ କରିଦେଲାଣି ।
ହାଡୁ ଓ ମୁଁ ଚିନ୍ତାଗ୍ରସ୍ତ ହୋଇ ବରଗଛ ତଳେ ବସିରହିଲୁଁ । ହଟୁ ମାତାଲ ବୋଲାଇ ଯଥେଚ୍ଛା ଆବୃତ୍ତମାନ କଲା; ନାଚିଲା, କୁଦିଲା ଏବଂ ଆମ କେଶ ଧରି ଝିଙ୍କାଝିଙ୍କିକଲା ।ଆମକୁ ସବୁ ସହିବାକୁ ପଡ଼ିଲା । ଆମ ଭିତରୁ ଜଣେ ମାତାଲ୍ ହେବାର ଅଭିଜ୍ଞତା ଅର୍ଜନ କରିପାରିଥିବାରୁ ଆମେ ଯେ ଟିକିଏ ସଲଜ ଗର୍ବ ଅନୁଭବ କରିଥିଲୁଁ, ଏଥିରେ ସନ୍ଦେହ ନାହିଁ ।
ଦୀର୍ଘ ସମୟ ମାତ୍ଲାମି କରି ହଟୁ ବାଲି ଉପରେ ଶୋଇଗଲା । ଅନେକ ଆଲୋଚନା ଉତ୍ତାରୁ ଆମେ ଦୁହେଁ ନଈରୁ ଦୁଇ ଆଞ୍ଜୁଳା ପାଣି ଆଣି ତା ମୁହଁରେ ଛିଟିକାଇଦେଲୁ । ସେ ଆଖି ଖୋଲିଲା ଓ ନିଶା ଛାଡ଼ିଯାଇଥିବାର ଭାବ ଦେଖାଇ ଅଳ୍ପ ଅଳ୍ପ ହସି ଘରକୁ ଫେରିଲା ।
-“ଧୂମାଭ ଦିଗନ୍ତ”- ଶ୍ରୀ ମନୋଜ ଦାସ (ତୃତୀୟ ପରିଚ୍ଛେଦ)