x.....x
ହିନ୍ଦୁ କିମ୍ବଦନ୍ତୀ ମଧ୍ୟ କର୍ମଫଳ ଭୋଗର ଏହି ଅନିବାର୍ଯ୍ୟତା ଜାହିର କରେ । ତେବେ ହିନ୍ଦୁ ପରମ୍ପରାର ଉତ୍ସ ଯେଉଁ ଆଧ୍ୟାତ୍ମିକ ଚେତନା, ତା’ର ପରିସର ବ୍ୟାପକ ।
ସେ ଯାହାହେଉ, ଆପାତତଃ ଯେଉଁ କଥାଟି ଏଠାରେ ଆଶୁ ପ୍ରାସଙ୍ଗିକ, ତାହା ଏହିପରି :
ଋଷି ଅଷ୍ଟବକ୍ର ଥିଲେ ସାଧାରଣ ଦୃଷ୍ଟିରେ ଅସୁନ୍ଦର । ସେ ଯାଇ ବ୍ରହ୍ମାଙ୍କୁ କହିଲେ, “ଆପଣ ସୃଷ୍ଟିକର୍ତ୍ତା । ଆପଣ ମୋ କଳେବରର ବକ୍ରତା ଦୁରକରି ମୋତେ ପୁନଃସୃଜନ କରନ୍ତୁ ।”
“ପାରିବି ନାହିଁ, ବତ୍ସ ! ତୁମ ପ୍ରାରବ୍ଧ ତୁମକୁ ଭୋଗ କରିବାକୁ ହିଁ ପଡ଼ିବ ।” ଉତ୍ତର ଦେଲେ ବ୍ରହ୍ମା ।
ଅଷ୍ଟବକ୍ର ଯାଇ ବିଷ୍ଣୁଙ୍କୁ ଭେଟି କହିଲେ, “ଆପଣ ଏ ବିଶ୍ବବ୍ୟାପ୍ତ ଜୀବନର ପାଳନକର୍ତ୍ତା । ମୋତେ ତ ଦୈନିକ ଭୋଜ୍ୟ ମିଳୁନାହିଁ । ମୁଁ ଯେମିତି ଆପଣଙ୍କ ପ୍ରତିପାଳିତ ପ୍ରାଣୀ ଜଗତର ବାହାରେ !”
“ତୁମର ପ୍ରାରବ୍ଧ ତୁମକୁ ଭୋଗିବାକୁ ପଡ଼ିବ, ବତ୍ସ !” ବିଷ୍ଣୁ ଅସହାୟପ୍ରାୟ କହିଲେ ।
ଅଷ୍ଟବକ୍ର ଯାଇ ପହଞ୍ଚିଲେ ଶିବଙ୍କ ସମୀପରେ ।
“ହେ ମହାଦେବ ! ଆପଣ ପରା ପରମ ସଂହାରକ ? ମୋର ଏ ଜୀବନ ଲୋଡ଼ା ନାହିଁ । ମୋତେ ସଂହାର କରନ୍ତୁ ।” ସେ ନିବେଦନ କଲେ ।
“ତୁମ ପ୍ରାରନ୍ତ ମୁଁ ବଦଳାଇ ପାରିବି ନାହିଁ ।” ଜଣାଇଲେ ଶିବ ।
ଅଷ୍ଟବକ୍ରଙ୍କ ଚେତନାରେ ହେଲା ଏକ ଅଭିନବ ସତ୍ୟର ଉଦ୍ଭାସନ । ଏ ଉତ୍ତୁଙ୍ଗ ଦେବତ୍ରୟ କହୁଛନ୍ତି ମୋର ପ୍ରାରବ୍ଧ । ବେଶ, ପ୍ରାରବ୍ଧ ଯଦି ମୋର, ଅବଶ୍ୟ ମୋର ତା’ ଉପରେ ଅଧିକାର । ଯଦି ମୋର କାହା ଉପରେ ଅଧିକାର ରହିଛି, ତେବେ ତାକୁ ବଦଳାଇବାର ଶକ୍ତି ମଧ୍ୟ ମୋର ଅବଶ୍ୟ ରହିଛି ।
ସେ ହେଲେ ଆତ୍ମମଗ୍ନ । ନିଜ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ-ଏ ସମସ୍ତ ବିସ୍ତାର ଉପରେ ଆୟତ୍ତ କଲେ ଚୂଡ଼ାନ୍ତ ପ୍ରଭୁତ୍ବ । ସେ ଆଉ ଅଷ୍ଟବକ୍ର ହୋଇ ରହିଲେ ନାହିଁ । ରହିଲେ ନାହିଁ ବୁଭୁକ୍ଷୁ । ଅନ୍ତରାବସ୍ଥାର ପରିବର୍ତ୍ତନ ସଙ୍ଗେ ସଙ୍ଗେ ବଦଳିଯାଏ ବହିରାବସ୍ଥା ।
ଏ କିମ୍ବଦନ୍ତୀର ତାତ୍ପର୍ଯ୍ୟ ହେଲା, ଏକ ନିର୍ଦ୍ଦିଷ୍ଟ ଚେତନାରେ ଥାଇ ଆମେ ଯେଉଁ କର୍ମ କରି ଥାଉ, ତା’ର ଫଳ ଭୋଗ ଅନିବାର୍ଯ୍ୟ । କିନ୍ତୁ ଯେତେବେଳେ ଜଣେ ସେ ପର୍ଯ୍ୟାୟର ଚେତନାର ଉର୍ଦ୍ଧ୍ବକୁ ଚାଲି ଯାଏ, ସେତେବେଳେ ପୂର୍ବ ଚେତନା-ପ୍ରସୂତ ଫଳ ତାଙ୍କୁ ଆକ୍ରାନ୍ତ କରେ ନାହିଁ । ତେବେ କର୍ମର ପ୍ରକାରଭେଦ ରହିଛି । ସାଧାରଣ ମାନବିକ ଦୁର୍ବଳତା ଜନିତ କର୍ମ ଏବଂ ସଚେତନ ଭାବରେ, ସଜ୍ଞାନକୃତ ଭୀଷଣ ପାପାଚାର ଏକ ପର୍ଯ୍ୟାୟରେ ଯିବେ ନାହିଁ ନିଶ୍ଚୟ । ଦ୍ଵିତୀୟ ପର୍ଯ୍ୟାୟର କର୍ମକୁ କୁହାଯାଏ ଉତ୍କଟ କର୍ମ । ତା’ର ଫଳ ଭୋଗରୁ ସମ୍ଭବତଃ ନିସ୍ତାର ନାହିଁ । କିନ୍ତୁ ସଚ୍ଚା ଆଧ୍ୟାତ୍ମିକତାରେ ହତାଶାର ସ୍ଥାନ ନାହିଁ । ସର୍ବୋତ୍ତମ ଆଶାର ବାଣୀ ଆମକୁ ମହାନ ସାନ୍ତ୍ବନା ରୂପକ ବରଦାନ ଭଳି ପରିବେଷଣ କରୁଛି ଗୀତା : ସର୍ବଧର୍ମ ପରିତ୍ୟାଗ ପୂର୍ବକ ମୋର ଶରଣ ନିଅ । ତୋର ଯାବତୀୟ ପାପର ପ୍ରତିକ୍ରିୟାରୁ ମୁଁ ତୋତେ ମୁକ୍ତ କରିବି ।
ଯେଉଁ ଭାଗ୍ୟବାନ ସେଭଳି ଶରଣ ପାଇଁ ପ୍ରସ୍ତୁତ ହୋଇପାରିଛି, ତା’ର ଚେତନାରୁ ଅଚିରେ ପୂର୍ବ ଚେତନାକୃତ ସମସ୍ତ କର୍ମର ଫଳ ଖସି ପଡ଼ିଥିବ ।
x....x
ସେଦିନ ସାଞ୍ଚିଠାରେ ପ୍ରତ୍ନତତ୍ତ୍ବ ବିଭାଗର ଜଣେ କର୍ମକର୍ତ୍ତା ମୋତେ କହିଥିଲେ, “ଏ ବିରାଟ ଐତିହ୍ୟକୁ ଉଦ୍ଧାର କଲେ ଜଣେ ବିଦେଶୀ ପ୍ରଶାସକ, ପୁରାତତ୍ତ୍ବ ବିଭାଗର ମହାନିର୍ଦ୍ଦେଶକ ଜନ୍ ମାର୍ଶାଲ୍ । କିନ୍ତୁ ଏହାର ଧ୍ବଂସକର୍ତ୍ତା ଆମେ ଭାରତୀୟମାନେ ।”
“ଆଉରଂଗଜେବ୍ କଥା କହୁଛନ୍ତି ତ ?” ପଚାରିଲେ ପାଖରେ ଥିବା ଜଣେ ଅତିଥି ।
“ଖାଲି ଆଉରଂଗ କାହିଁକି, ବହୁ ରଂଗର ମଣିଷ । ଏଠାକାର ଶିଳା ସମ୍ପଦ ଲୁଣ୍ଠନ କର୍ମ ଚାଲିଥିଲା ବହୁ ବର୍ଷଧରି ।” ସେ କ୍ଷୁବ୍ଧ କଣ୍ଠରେ କହିଲେ ।
ହିନ୍ଦୁ, ବୌଦ୍ଧ - ସବୁ ଧର୍ମର କୃତିମାନ ବିକଳାଙ୍ଗ- ଯେମିତି ବିକଳାଙ୍ଗ ସବୁ ଧର୍ମର ମର୍ମ । ଥାଇଲ୍ୟାଣ୍ଡର ରାଷ୍ଟ୍ରୀୟ ଧର୍ମ ହେଲା ବୌଦ୍ଧ । ସେ ଦେଶର ସବୁଠାରୁ ବିଖ୍ୟାତ ବୁଦ୍ଧ ମୂର୍ତ୍ତି (ବ୍ୟାଙ୍କୋକ୍ର ପ୍ରାଚୀନ ରାଜନବର ଭିତରେ) ଯାହା ମରକତ ମଣିରେ ନିର୍ମିତ, ତାହା ଆଗରେ ଚାଲିଥାଏ ପଶୁପକ୍ଷୀ ବଳି !
ଏ ଲେଖକ ସେଠାରେ ଦେଖିବାକୁ ପାଇଥିଲା ଡଜନେ ଦୁଇ ଡଜନ ସରିକି ମୁର୍ଗୀ । ପ୍ରଥମେ ମନେ ହେଲା ସେଗଗୁଡ଼ିକ କୃତ୍ରିମ, ଖେଳଣା ଭଳି ସାଜସଜାର ଏକ ଅଂଶ । କିନ୍ତୁ ଲକ୍ଷ୍ୟ କରି ଦେଖିଲି ସେଗୁଡ଼ିକ ସଦ୍ୟ ନିହତ ପ୍ରାଣୀ ।
“ଇଏ କ'ଣ ?” ଚମକିତ ଢଙ୍ଗରେ ପ୍ରଶ୍ନ କଲି, ଥାଇ ସରକାରଙ୍କ ପର୍ଯ୍ୟଟନ ବିଭାଗ ମୋତେ ଯୋଗାଇ ଦେଇଥିବା ଗାଇଡ୍ ଭଦ୍ରଲୋକକୁ ।
“କୁକୁଡ଼ା ଆଜ୍ଞା !” ତାଙ୍କ ଉତ୍ତରରେ ଯେଉଁ ଚାମୁଚାଏ ବିସ୍ମୟ ଥିଲା, ତାହା କୁକୁଡ଼ା ଭଳି ସାର୍ବଜନୀନ ଆହାର ଚିହ୍ନିବାରେ ମୋର ଅପାରଗତ ଯୋଗୁଁ । ଅବଶ୍ୟ ସଙ୍ଗେ ସଙ୍ଗେ ସେ ସମଝଦାର ଭଙ୍ଗୀରେ କହିଲେ, “ଆପଣଙ୍କ ଦେଶରେ ଏମାନଙ୍କ ଚେହେରା ଅଲଗା ହୋଇଥାଇପାରେ ।”
“କିନ୍ତୁ ଏଠି କୁକୁଡ଼ା କାହିଁକି ?” ମୋର ଚମକ ତଥାପି କଟି ନଥିଲା ।
“ଆଉ ତେବେ କେଉଁଠି ରହନ୍ତା ? ଏଇଟା ତ ଏସବୁ ଭୋଗ ଥୋଇବାର ସ୍ଥାନ ।”
“ବୁଦ୍ଧକୁ ପରଷିଦିଆଯାଏ ମାଂସ ?”
ମୋ ପ୍ରଶ୍ନରେ ସେ ଅଧିକ ବିସ୍ମିତ ହେବା ସତ୍ତ୍ୱେ ତାକୁ ଢୋକିନେଇ ପଚାରିଲେ, ‘‘ଆପଣମାନଙ୍କ ବୁଦ୍ଧ କ’ଣ ନିରାମିଷାଶୀ ?"
ଉତ୍ତର ଦେବାଭଳି ଉତ୍ସାହ ମୋର ନଥିଲା । କିନ୍ତୁ ପରେ ଏ ପ୍ରଶ୍ନ ଉପରେ ବିଚାର କରି ବୁଝିଲି, ବାସ୍ତବିକ ଏ ସବୁ ଦୃଷ୍ଟିକୋଣର ବ୍ୟାପାର ।
x........x
-“ଆଦର୍ଶ ବନାମ ଆଦର୍ଶ”-(ଷଷ୍ଠ ପରିଚ୍ଛେଦ) ଶ୍ରୀ ମନୋଜ ଦାସ --“ଅଜଣାର ଅନ୍ବେଷଣେ”